Article By: Bijaya Ketan Sahu
email: bks567@gmail.com
ଓଡ଼ିଆ ଜନଜୀବନର ପ୍ରାଣନ ସଙ୍ଗୀତ ଓଡ଼ିଆ ଭାଗବତ ( Odia Bhagabat by Atibadi Jagannath Dash) l ପ୍ରତିଟି ଓଡ଼ିଆର ପ୍ରାଣର ଆବେଗତା ଭରି ରହିଛି ଏହି ଭାଗବତରେ l ଅତିବଡି ଜଗନ୍ନାଥଙ୍କ ଦାସଙ୍କର ବିରଚିତ ଏହି ଭାଗବତ କେବଳ ଏକ ପୌରାଣିକ ଗଳ୍ପ ସମନ୍ୱିତ ରଚନା ନୁହେଁ ବରଂ ଏକ ଆନ୍ଦୋଳନ l କଳିତ-ଲଳିତ ପଦାବଳୀ, ଅପୂର୍ବ ଛନ୍ଦ ମାଧୁରୀ ତଥା ସର୍ବୋପରି ପ୍ରେମ- ଭକ୍ତି ର ମାଧୁଯ୍ୟତା ସରଳ ନିଷ୍ପାପ ମନରେ ଯେଉଁ ଧାର୍ମିକ ଆନ୍ଦୋଳନ ସୃଷ୍ଟି କରିଛି , ତାହାରି ଫଳ ସ୍ୱରୂପ ପ୍ରତିଟି ହିନ୍ଦୁ ଗ୍ରାମରେ ସୃଷ୍ଟି ହୋଇଛି ଭାଗବତ ଟୁଙ୍ଗି l ପଞ୍ଚଦଶ ଶତାବ୍ଦୀ ଠାରୁ ଅଦ୍ୟାବଧି ଏହି ଭାଗବତ ଟୁଙ୍ଗି ହୋଇଛି ଓଡ଼ିଶା ଗଣ ଜୀବନର ଧାର୍ମିକ ତଥା ସାଂସ୍କୃତିକ ପଥ ପ୍ରଦର୍ଶକ l ଜୀବନର ଅନ୍ତିମ କ୍ଷଣରେ ଭାଗବତ ବର୍ଣ୍ଣିତ ” ହା ! କୃଷ୍ଣ ବୋଲି ଜୀବ ଯାଉ ” ଆତ୍ମା ସହିତ ପରମାତ୍ମା ଙ୍କ ମିଳନ କରାଏ l ଏହାହିଁ ତ ଓଡ଼ିଆ ର ବିଶ୍ୱାସ l ମହାପ୍ରଭୁ ଜଗନ୍ନାଥଙ୍କ ନିର୍ମାଲ୍ୟ କଣିକା, ପବିତ୍ର ନାମ ସଂକିତର୍ନ ତଥା ଅତିବଡ଼ି ଜଗନ୍ନାଥ ଦାସଙ୍କର ଭାଗବତର ଏହି ଅମୃତମୟ ପଦାବଳୀ ହିଁ ଓଡ଼ିଆ ଜୀବନର ମୁକ୍ତିତୀର୍ଥ l
ପରମ ବୈଷ୍ଣବ ଅତିବଡ଼ି ଜଗନ୍ନାଥ ଦାସଙ୍କର ଜନ୍ମ ହୁଏ ଇଂ ୧୪୯୨ ମସିହା , ଭାଦ୍ରବ ମାସ , ଶୁକ୍ଲପକ୍ଷ ରାଧାଷ୍ଟମୀ ତିଥିର ମାହେନ୍ଦ୍ର ବେଳାରେ l କଥିତ ଅଛି ଯେ ଅତିବଡ଼ି ଜଗନ୍ନାଥ ଦାସ ଥିଲେ ଶ୍ରୀ ରାଧାଙ୍କର ଅଂଶବତାର l ରାଧାଷ୍ଟମୀ ତିଥିରେ ଏହି ମହାପୁରୁଷଙ୍କର ଜନ୍ମଗ୍ରହଣ ତଥା ପରବର୍ତ୍ତୀ ଜୀବନରେ ସ୍ଵୟଂ ଶ୍ରୀକୃଷ୍ଣଙ୍କର ପ୍ରେମ ଅବତାର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଅନ୍ତରଙ୍ଗ ସଖା ରୁପରେ ଜଗନ୍ନାଥ ଦାସଙ୍କର ମାନବୀୟ ଲୀଳା ଏହି ସତ୍ୟକୁ ପ୍ରତିପାଦନ କରେ l ଜଗନ୍ନାଥଙ୍କର ପିତାଙ୍କ ନାମ ଥିଲା ଭଗବାନ ଦାସ ତଥା ମାତାଙ୍କର ନାମ ଥିଲା ପଦ୍ମାବତୀ l ତାଙ୍କ ପିତା ପୁରାଣ ପଣ୍ଡା ଉପାଧି ତତ୍ କାଳୀନ ଉତ୍କଳର ଗଜପତି ମହାରାଜା ପ୍ରତାପ ରୁଦ୍ର ଦେବଙ୍କ ଠାରୁ ପ୍ରାପ୍ତ ଥିଲେ , କାରଣ ସେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ପ୍ରତ୍ୟହ ପୁରାଣ ପାଠ କରୁଥିଲେ l ପିତା ଙ୍କ ପ୍ରଭାବରେ ଜଗନ୍ନାଥ ଦାସ ଅନେକ ପୁରାଣ ପାଠ କରି ମାତ୍ର ତରୁଣ ବୟସରେ ଅସମ୍ଭବ ପାଣ୍ଡିତ୍ୟ ଅର୍ଜନ କରିଥିଲେ l ଉଭୟ ସଂସ୍କୃତ ତଥା ଓଡ଼ିଆ ଭାଷାରେ ପ୍ରବୀଣ ଥିଲେ ଜଗନ୍ନାଥ l ପିତୃ ବିୟୋଗରେ ସଂସାର ମାୟା ମୋହ ପ୍ରତି ସେ ବିତସ୍ତୃହ ହୋଇପଡ଼ିଥିଲେ l ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀ ଚରଣରେ ମନ ନିବେଶ କରି ସେ ରଚନା କରିଥିଲେ ଶ୍ରୀମଦ୍ ଭାଗବତର ଓଡ଼ିଆ ଭାବନୁବାଦ l କୁହାଯାଏ ଯେ : ତାଙ୍କରି ନିରକ୍ଷର ମାତା ପଦ୍ମାବତୀ ସଂସ୍କୃତ ଭାଗବତ ବୁଝିବାକୁ ଅସମର୍ଥ ଥିଲେ l
ସୁତରାଂ ପୁତ୍ର ଜଗନ୍ନାଥଙ୍କ ନିକଟରେ ଏହାର ଓଡ଼ିଆ ଭାବାର୍ଥ ଶୁଣିବାକୁ ଇଚ୍ଛା ପ୍ରକାଶ କରିଥିଲେ l ମାତା ଙ୍କର ଇଚ୍ଛା କୁ ସାକାର ରୂପ ଦେବା ପାଇଁ ସେ ଯେଉଁ କାଳଜୟୀ , ଭକ୍ତିପୂର୍ଣ୍ଣ ରମ୍ୟ ରଚନା ସୃଷ୍ଟି କରିଥିଲେ ତାହା ହେଉଛି ଏହି ଓଡ଼ିଆ ଭାଗବତ l
ଓଡ଼ିଆ ଭାଷାରେ ବିରଚିତ ଭାଗବତ ଯେ କେବଳ ତତ୍କାଳୀନ ସାଧାରଣ ଜନମାନସରେ ଆଦୃତ ଥିଲା ତାହା ନୁହେଁ ସେହି ଭାଗବତର ଭକ୍ତିପୂର୍ଣ୍ଣ ପଦାବଳୀ କୁ ଶ୍ରବଣ କରି ଶ୍ରୀ ଚୈତନ୍ୟ ହୋଇଥିଲେ ପ୍ରେମ ବିଗଳିତ
କବିଙ୍କର ସୁଗଭୀର ଆଭାସ ପାଇ ଶ୍ରୀ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଅତିବଡି ଜଗନ୍ନାଥ ଦାସଙ୍କର ଉପାଧିରେ ବିଭୂଷିତ କରିଥିଲେ l ଏହି ଅତିବଡ଼ି ଉପାଧିରୂ ସୃଷ୍ଟି ହୋଇଥିଲା ଅତିବଡ଼ି ସମ୍ପ୍ରଦାୟ l ଅତିବଡ଼ି ସମ୍ପ୍ରଦାୟର ସାଧନାର ପୀଠ ସ୍ଥଳୀ ଥିଲା ବଡ଼ ଓଡ଼ିଆ ମଠ l ଯାହାକି ଅଦ୍ୟାବଧି ଶ୍ରୀକ୍ଷେତ୍ର ପୁରୀରେ ବିଦ୍ୟମାନ l ଏହି ବଡ଼ ଓଡ଼ିଆ ମଠ ସମ୍ପର୍କ ରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି l ଏକଦା ଗଜପତି ମହାରାଜ ପ୍ରତାପରୁଦ୍ର ଦେବ ଜଗନ୍ନାଥ ଦାସଙ୍କୁ ଭାଗବତ ପାରାୟଣ ନିମନ୍ତେ ରାଣୀହଂସପୁର କୁ ନିମନ୍ତ୍ରଣ କରିଥିଲେ l ରାଣୀ ହଂସପୁରରେ ଜଗନ୍ନାଥ ସ୍ଵରଚିତ ଭାଗବତର ଦିବ୍ୟ ପଦାବଳୀ କୁ ଆବୃତ କରି ଶୁଣାଇଥିଲେ l ଭାଗବତ ର ଦଶମ ସ୍କନ୍ଦ ର ଗୋପଲୀଳା କୁ ସେ ପରାୟଣ କରିଥିଲେ l ଗୋପଲୀଳାରେ ବର୍ଣ୍ଣିତ ଶ୍ରୀକୃଷ୍ଣଙ୍କର ଦିବ୍ୟରସ ର ରସ ଗାଥା ଅତୀବ ମନୋରମ ତଥା ଭକ୍ତି ଭାବରେ ବର୍ଣ୍ଣନା କରିଥିଲେ ଜଗନ୍ନାଥ ଦାସ l ଏହି ରାସଲୀଳା ର ଭକ୍ତିପୂର୍ଣ୍ଣ ପଦାବଳୀ ଶୃଙ୍ଗାର ରସ ରେ ଭରପୂର l ଏହି ରାସଲୀଳା କୁ ଶ୍ରବଣ କରି ରାଣୀ ହଂସପୁରର ସମସ୍ତ ରାଣୀ ଦିବ୍ୟ କୃଷ୍ଣ ପ୍ରେମରେ ପରି ପ୍ଲାବିତ ହୋଇଥିଲେ l
କୃଷ୍ଣମୟ ହୋଇ ଉଠିଥିଲା ପରିବେଶ l ସମସ୍ତ ଙ୍କ ହୃଦୟରେ ଭଗବାନ ଶ୍ରୀକୃଷ୍ଣ ପରମାତ୍ମା ରୂପେ ବିଦ୍ୟମାନ l ସେହି ପରମାତ୍ମା ଙ୍କର ଦିବ୍ୟ ପ୍ରେମରେ ନିମଜ୍ଜିତ ରହି ରାଣୀ ମାନେ ଭକ୍ତ ଭାବରେ ଜଗନ୍ନାଥ ଦାସଙ୍କୁ କୃଷ୍ଣ କୃଷ୍ଣ କହି ବାରମ୍ବାର ଆଲିଙ୍ଗନ କରିବାକୁ ଲାଗିଲେ l ନାରୀ ପୁରୁଷ ର ଭେଦଭାବ ଦୈହିକ ମାତ୍ର l ଆତ୍ମିକ ସ୍ତର ରେ କିଏ ନାରୀ କିଏ ପୁରୁଷ ନୁହଁନ୍ତି l ପରମାତ୍ମିକ ସ୍ତରରେ ଏକମାତ୍ର ପରମ ପୁରୁଷ ବା ପରମାତ୍ମା l ସମସ୍ତ ଜୀବଗଣ ତାଙ୍କରି ଅଂଶ ମାତ୍ର l ଜୀବାତ୍ମା ଆସିଛି ସେହି ପରମାତ୍ମା ଙ୍କ ଠାରୁ l ଏହି ଆତ୍ମା ପୁଣି ତାଙ୍କ ଠାରେ ବିଲୀନ ହୋଇଯିବ l ଏହି ପରମ ଭାଗବତ୍ ସ୍ତର କୁ ଯିଏ ପ୍ରାପ୍ତ ହୋଇଛି ତାକୁ ପ୍ରତ୍ୟେକ ଜୀବ ସତ୍ତାରେ ସେହି ଶ୍ୟାମସୁନ୍ଦର କୃଷ୍ଣ ଚନ୍ଦ୍ର ଙ୍କର ପରମ ବିଭୂତିକୁ ଅନୁଭୂତ ହୁଏ l ଏହି ପବିତ୍ର ରାସଲୀଳା ଶ୍ରବଣ କରି ରାଣୀ ମାନେ କୃଷ୍ଣ ପ୍ରେମରେ ବିଗଳିତ ହୋଇ ଅତିବଡ଼ି ଜଗନ୍ନାଥ ଦାସଙ୍କୁ ବାରମ୍ବାର ଆଲିଙ୍ଗନ ତଥା ଚୁମ୍ବନ କରିବାକୁ ଲାଗିଲେ l ଏହି ଏହି ଦୃଶ୍ୟ ଯେତେବେଳେ ମହାରାଜା ପ୍ରତାରୁଦ୍ରଦେବଙ୍କର ଦୃଷ୍ଟି ଗୋଚର ହୁଅନ୍ତେ
ସେ ଜଗନ୍ନାଥ ଦାସଙ୍କର ଚରିତ୍ର ଉପରେ ସନ୍ଦେହ କରି ତାହାଙ୍କୁ ବନ୍ଦୀ କଲେ l କିନ୍ତୁ ତା ପରଦିନ ସେ ବନ୍ଦୀ ଗୃହରେ ମହାପ୍ରଭୁ ଜଗନ୍ନାଥ କୃପାରୁ ଜଗନ୍ନାଥ ଦାସ ପୁରୁଷ ରୁପରୁ ନାରୀ ରୂପକୁ ପରିବର୍ତ୍ତିତ ହୋଇଥିଲେ l ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଗଜପତି ପ୍ରତାରୁଦ୍ରଦେବ
ଜଗନ୍ନାଥ ଦାସଙ୍କୁ ବନ୍ଦୀ ଗୃହରୁ ମୁକ୍ତ କରିଥିଲେ l ସେତେବେଳେ ଜଗନ୍ନାଥ ଦାସ ଗଜପତି ମହାରାଜ ଙ୍କୁ ବୁଝାଇ ଦେଇଥିଲେ ଯେ ଜଗତରେ ଏକମାତ୍ର ପୁରୁଷ ହିଁ ପ୍ରଭୁ ଶ୍ରୀ ଶ୍ରୀକୃଷ୍ଣଚନ୍ଦ୍ର ଅଥବା ଶ୍ରୀ ଜଗନ୍ନାଥ ମହାପ୍ରଭୁ l ଯିଏ କୃଷ୍ଣ ସିଏ ଜଗନ୍ନାଥ l ଯିଏ ଜଗନ୍ନାଥ ସିଏ କୃଷ୍ଣ l ରାଧା ଭାବରେ ଆରାଧନା କଲେ କୃଷ୍ଣ ଙ୍କୁ ଲାଭ କରିବାର ପଥ ସୁଗମ l ସେହି ରାଧା ଭାବରେ ଭାବିତ ହୋଇ ସେ ନିତ୍ୟ ଆରାଧନା କରନ୍ତି ସେହି ପ୍ରେମମୟ ପ୍ରଭୁଙ୍କୁ l ଦାସ ନୁହେଁ ବରଂ ଦାସୀ ଭାବରେ ପରମ ପୁରୁଷ ଶ୍ରୀ କୃଷ୍ଣଙ୍କୁ ଆରାଧନା କରନ୍ତି ଜଗନ୍ନାଥ ଦାସ l ଜଗନ୍ନାଥ ଦାସଙ୍କ ମୁଖରୁ ଏହି ଦିବ୍ୟ ବାକ୍ୟ ଶ୍ରବଣ କରି ପ୍ରତାରୁଦ୍ର ନିଜର ଭୁଲ୍ ପାଇଁ କ୍ଷମା ପ୍ରାଥୀ ହୋଇଥିଲେ ଏବଂ ଅତିବଡ଼ି ଜଗନ୍ନାଥ ଦାସଙ୍କୁ ସେ ରାଣୀ ହଂସପୁର ପ୍ରଦାନ କରିଥିଲେ ଏକ ମଠ ସ୍ଥାପନ ନିମନ୍ତେ l ସେହିଁ ରାଣୀ ହଂସପୁର ପରବର୍ତ୍ତୀ କାଳରେ ବଡ଼ ଓଡ଼ିଆ ମଠ ହୋଇଥିଲା l ଏହି ବଡ ଓଡ଼ିଆ ମଠରେ ଗଜପତି ପ୍ରତାପରୁଦ୍ର ଙ୍କ ଅନୁରୋଧ ରେ ସମସ୍ତ ରାଣୀ ମାନଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ ଅତିବଡ଼ି ଜଗନ୍ନାଥ ଦାସ l ଏହାହିଁ ଅତିବଡ଼ି ଜଗନ୍ନାଥ ଦାସଙ୍କ ର ସ୍ବରଚିତ ଭାଗବତର ଦିବ୍ୟ ମହିମା l
ଅତିବଡ଼ି ଜଗନ୍ନାଥ ଦାସଙ୍କ ଦିବ୍ୟ ଜୀବନର ଉପରୋକ୍ତ କିମ୍ବଦନ୍ତୀ ର ସାରମର୍ମ ହେଲା “ଜୀବ କୃଷ୍ଣ ଙ୍କ ନିତ୍ୟ ଦାସ ” l ଭାଗବତର (Odia Bhagabat by Atibadi Jagannath Dash)ପ୍ରତିଟି ପଦାବଳୀ ରେ ଏହି ଭାବ ପରିସ୍ପୁଟିତ l ନବାକ୍ଷରୀ ଛନ୍ଦରେ ଲିପିବଦ୍ଧିତ ଅତିବଡ଼ି ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତ l ଏହାର ଭାଷା ସରଳ , ଶୁଦ୍ଧ, ପରୀମାର୍ଜିତ ଅଥଚ ଗଭୀର ତତ୍ୱପୂର୍ଣ୍ଣ ପଦାବଳୀର ସୁ ଗଠିତ l ଭାଗବତର ପ୍ରଥମ ପଦାବଳୀ କବି ଜଗନ୍ନାଥ ଦାସ ଶ୍ରୀ ନୃସିଂହ ବନ୍ଦନା ରୁ ଆରମ୍ଭ କରିଛନ୍ତି l
ନମଇଁ ନୃସିଂହ ଚରଣ lଅନାଦି ପରମ କାରଣ l l
ଯା ବିନୁ ଆଦି ମଧ୍ୟ ଅନ୍ତ l
ବିଚାରେ ନ ଘଟେ ଜଗତ l l
ପ୍ରଭୁ ଶ୍ରୀ ଶ୍ରୀ ନୀଳମାଧବ , ଜଗନ୍ନାଥ ରୂପକୁ ବିବର୍ତ୍ତିତ ହେବା ପୂର୍ବରୁ ଯଜ୍ଞ ନୃସିଂହ ରୁପରେ ସେ ଭକ୍ତ ମାନଙ୍କୁ
ଦର୍ଶନ ଦେଇଥିଲେ l ସମ୍ଭବତଃ ସେଇଥିପାଇଁ ସେ ନୃସିଂହ ବନ୍ଦନା ରୁ ଆରମ୍ଭ କରିଛନ୍ତି l ପବିତ୍ର କୃଷ୍ଣ ପ୍ରେମ ରସ ରେ ଭରପୂର ପବିତ୍ର ଭାଗବତ ମହାଗ୍ରନ୍ଥ l ସମସ୍ତ ପ୍ରାଚ୍ୟ ତଥା ପାଶ୍ଚାତ୍ୟ ଗବେଷକ ମାନଙ୍କ ମତରେ ଓଡ଼ିଆ ଜାତିର ମହାନ ଗ୍ରନ୍ଥ ଏହି ଭାଗବତ୍ ମହାପୁରାଣର ଆଖ୍ୟା ପାଇବାକୁ ସମ୍ପୂର୍ଣ୍ଣ ଯୋଗ୍ୟ l ମୂଳ ସଂସ୍କୃତ ଭାଗବତର ଏହା ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ l କବି ସଂସ୍କୃତ ଭାଗବତର ମୂଳ ବିଷୟବସ୍ତୁ ସହିତ ବିଷ୍ଣୁ ପୁରାଣ, ବ୍ରହ୍ମ ବୈବର୍ତ୍ତ ପୁରାଣ ଆଦି ରୁ ଅନେକ ତତ୍ ସମ୍ବଳିତ ଗଳ୍ପ ତଥା ଭାବାର୍ଥ ସଂଗ୍ରହ କରି ନିଜ ରଚନା ରେ ସ୍ଥାନ ଦେଇଥିବାରୁ ଏହା ଆହୁରି ରସାଳ ତଥା ଭାବ ବ୍ୟଞ୍ଜକ ହୋଇପାରିଛି l
ସୁନ୍ଦର କାନ୍ ତ କୋମଳ ପଦାବଳୀ ମାଧ୍ୟମରେ l ସଂସ୍କୃତ ମୂଳ ଶ୍ଲୋକର ଓଡ଼ିଆ ଭାବାନୁବାଦ ଅତୀବ ମଧୁମୟ ତଥା ଚମତ୍କାର l ଉଦାହରଣ ସ୍ୱରୂପ ନିମ୍ନୋକ୍ତ ଭାବାନୁବାଦକୁ ନିଆଯାଇପାରେ l
ମୂଳ ସଂସ୍କୃତ ଭାଗବତର ପ୍ରଥମ ଅଧ୍ୟାୟର ତୃତୀୟ ଶ୍ଲୋକ –
“ନିଗମ କଳ୍ପତ ରୋର୍ଗଳିତଂ
ଫଳଂ ଶୁକ ମୁଖାହମୃତ ଦ୍ରବ ସଂଯୁତମ୍
ପିବତ ଭାଗବତ ରସମାଳୟଂ
ଉହୁରହୋ ରସିକାଃ ଭୁବି ଭାବୁକାଃ । (ଭାଗବତ ୧/୩)
ଓଡ଼ିଆ ଭାଗବତ ର ଭାବାନୁବାଦ –
ସକଳ ବେଦ ହୋଇ ବୃକ୍ଷେ l
ଫଳ ଫଳିଲେ ଅନ୍ତରୀକ୍ଷେ ll
କେତେ ହିଁ ଦିନେ ପାଚି ତଳେ ।
ବୃକ୍ଷୁ ପଡ଼ିଲେ ବାୟୁ ବଳେ ll
ଶୁକ ଧାଇଁଲେ ଏହା ଦେଖି l
ପକ୍ଷୀ ଙ୍କ ସଙ୍ଗତ ଉପେକ୍ଷି ll
ତୋଷ ଅଧରେ କ୍ଷତ କଲା l
ଭିତରେ ସୁରଙ୍ଗ ଦିଶିଲା ll
ତହୁଁ ଗଳିଲା ରସ ସାର l
କି ‘ ଦେବା ତା’ର ପଟାନ୍ତର ll
ଅମୃତ ନିନ୍ଦେ ସାଦୁପଣେ ।
ସୁଜନେ ପିବ ଅନୁକ୍ଷଣେ ।।
ଆନନ୍ଦେ କର ସୁଧାପାନ ।
ଯେଶେ ପାଇବ ଦିବ୍ୟଜ୍ଞାନ ।।
ଏ ରସ ଚାରି ବେଦ ମୂଳ ।
ନିଗମ ବୃକ୍ଷ ର ଏ ଫଳ ।।
ପିବ ଜୀବନ୍ତ ଅନ୍ତ ଯାଏ।
ଯେବେ ବଂଚିବ ମାୟା ମୋହେ ।।
ଜଗନ୍ନାଥ ଦାସଙ୍କ ଭାଗବତ ସମସ୍ତ ରସ ରେ ସନ୍ନିବେଶିତ ଶାନ୍ତ, ଶୃଙ୍ଗାର,ହାସ୍ୟ, ବାସ୍ଛଲ୍ୟ,କରୁଣ ପ୍ରଭୃତି ରସ ରେ ଓଡ଼ିଆ ଭାଗବତ ରସମୟ l ପରମ ପୁରୁଷ ଶ୍ରୀ କୃଷ୍ଣ ରସିକ ନାଗର , ସକଳ ରସର ଆଧାର l ସେହି ରସରାଜ ରାଧାରମଣ ଶ୍ରୀ କୃଷ୍ଣ ଚନ୍ଦ୍ରଙ୍କ ପ୍ରିତ୍ୟାର୍ଥେ ଜଗନ୍ନାଥ ଦାସ ସ୍ଵ ରଚିତ ଭାଗବତ କୁ ସକଳ ରସମୟ କରିଛନ୍ତି l କେବଳ ଏତିକି ନୁହେଁ ସମାଜକୁ ଉପଯୁକ୍ତ ଦିଗ୍ ଦର୍ଶନ ଦେବା ପାଇଁ ତଥା ବ୍ୟବହାରିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ଅନେକ ଉପଦେଶ ସରଳ ସୁନ୍ଦର ଭାଷ୍ୟରେ ପଦ୍ୟ ରୁପରେ ବର୍ଣ୍ଣନା କରିଛନ୍ତି , ଯାହାକି ଅଦ୍ୟାବଧି ଓଡ଼ିଶା ର ସମସ୍ତ ନିରକ୍ଷର ତଥା ସ୍ୱାକ୍ଷର ଜନ ମୁଖରେ ଢଗଢମାଳି ଆକାରରେ ପ୍ରଚଳିତ l ଯଥା:
ଧନ ଅର୍ଜନେ ଧର୍ମ କରି ।
ଧର୍ମ ପ୍ରାପତ ନରହରି ।।
ଗୁରୁ ଙ୍କୁ ନମଣିବ ନର ।
ଗୁରୁ ହିଁ ସାକ୍ଷାତ ଈଶ୍ୱର।।
ଈଶ୍ୱର ବସେ ସର୍ବ ଦେହେ ।
ଏ ଘେନି ନମିବ ନିର୍ଭୟେ।।
ସର୍ବ ଶରୀର ମଧ୍ୟେ ସାର ।
ଦୁର୍ଲଭ ନର କଳେବର ।।
ଧନ କାର୍ପଣ୍ୟ ସେବା ବଳେ।
କିବା ଅସାଧ୍ୟ ମହିତଳେ ।।
ଅତିବଡ଼ି ଜଗନ୍ନାଥ ଦାସ ପ୍ରାରମ୍ଭିକ ଜୀବନରେ ଥିଲେ ଜ୍ଞାନା ମିଶ୍ରା ଭକ୍ତି ର ଉପାସକ l ଶ୍ରୀ ଚୈତନ୍ୟ ଥିଲେ ବିଶୁବ ପ୍ରେମ ଭକ୍ତି ର ପ୍ରଚାରକ l ଈଶ୍ଵର – ପ୍ରାପ୍ତିର ଲକ୍ଷ୍ୟ ଯଦି ଭକ୍ତି ହୁଏ , ଜ୍ଞାନ ହେଉଛି ତାର ଉପାୟ । ଭକ୍ତି ଚରମ ସୋପାନରେ ପହଞ୍ଚିଲେ ଆଉ ଜ୍ଞାନର ଆବଶ୍ୟକତା ନଥାଏ l ଶ୍ରୀ ଚୈତନ୍ୟଙ୍କର ଏହି ପ୍ରେମ ଭକ୍ତି ତତ୍ଵ ଅତିବଡ଼ି ଜଗନ୍ନାଥ ଦାସଙ୍କୁ ଆକୃଷ୍ଟ କରିଥିଲେ l
ସୁତରାଂ ଶ୍ରୀ ଚୈତନ୍ୟ ଙ୍କ ପ୍ରଭାବରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ମିଶ୍ରିତ ରୂପ ଧାରଣ କରିଥିଲା l କଥିତ ଅଛି ଯେ ଜଗନ୍ନାଥ ଦାସ ଭାଗବତ ର ଦଶମ ସ୍କନ୍ଦ ରଚନା ସମୟରେ ଶ୍ରୀ ଚୈତନ୍ୟଙ୍କର ସହିତ ତାଙ୍କର ସାକ୍ଷାତ ହୋଇଥିଲା l ଅତଏବ ଜଗନ୍ନାଥ ଦାସଙ୍କର ରଚିତ ଭାଗବତର ଦଶମ ତଥା ଏକାଦଶ ସ୍କନ୍ଦ ଗଭୀର ପ୍ରେମ -ଭକ୍ତି ତତ୍ତ୍ଵ ପୂର୍ଣ୍ଣ l ଏହା ବ୍ୟତୀତ ସାବରୀଳ ତଥା ମଧୂର୍ଯ୍ୟ ମଣ୍ଡିତ l ବଙ୍ଗୀୟ ଭାଷାରେ ଭାଗବତ ରଚନା କରିଥିଲେ “ସନାତନ ବିଦ୍ୟା ବାଗିଶ” ଓଡ଼ିଆ ଭାଷାରେ ରଚିତ ଦଶମ ସ୍କନ୍ଦର ଭାଗବତର ଏହି ପବିତ୍ର ରସମୟ କାବ୍ୟର ମାଧୂର୍ଯ୍ୟ କୁ ଉପଲବ୍ଧି କରି ସନାତନ ବିଦ୍ୟା ବାଗିଶ କେବଳ ବଙ୍ଗୀୟ ଲିପ୍ୟନ୍ତର କରି ଓଡ଼ିଆ ଭାଷାରେ ସ୍ୱ ରଚିତ ଭାଗବତରେ ସ୍ଥାନିତ କରିଛନ୍ତି l ଏଥିରୁ ଜଗନ୍ନାଥ ଦାସଙ୍କର ଖ୍ୟାତି ସଂପନ୍ନ ପ୍ରତିଭାର ପରିଚୟ ମିଳେ l ଏଠାରେ ଦେଖିବାର କଥା ଯେ ଜଗନ୍ନାଥ ମୂଳ ସଂସ୍କୃତ ଭାଗବତର ଏକାଦଶ ସ୍କନ୍ଦ ଯାଏ ଭାବନ୍ନବାଦ କରିଥିଲେ l ଭାଗବତ ର ଏକାଦଶ ସ୍କନ୍ଦ ରେ ଶ୍ରୀ କୃଷ୍ଣ ଭୂ ଲୋକ ଲୀଳା ସମ୍ବରଣ କରି ନିଜର ନିତ୍ୟ ଗୋଲକ ଲୀଳା କୁ ପ୍ରତ୍ୟାଗମନ କରିବା ବିଷବସ୍ତୁ ବର୍ଣ୍ଣିତ l ଶ୍ରୀ କୃଷ୍ଣ ଙ୍କର ଇହଲୀଳା ସମ୍ବରଣ ଦୁଃଖରେ ମ୍ରିୟମାଣ ହୋଇ ଜଗନ୍ନାଥ ଦାସ ଦେହ ତ୍ୟାଗ କରିଥିଲେ l ଦ୍ଵାଦଶ ସ୍କନ୍ଦ ଭାବାନ୍ଵଵାଦ କରିବା ତାଙ୍କ ପକ୍ଷରେ ଆଉ ସମ୍ଭବ ହୋଇ ନାହିଁ l
ପ୍ରଭୁଙ୍କ ବିନା ଭକ୍ତର କି ପ୍ରୟୋଜନ ? ପ୍ରଭୁଙ୍କ ସୁଖ ହିଁ ଭକ୍ତର ସୁଖ, ପ୍ରଭୁଙ୍କ ଦୁଃଖ ହିଁ ଭକ୍ତ ର ଦୁଃଖ l ଏହାହିଁ ସମର୍ପିତ ହୃଦୟ ର ପରିଚୟ l କୃଷ୍ଣଙ୍କର ବିରହ ବ୍ୟଥାର ପ୍ରେମରେ ଜର୍ଜରିତ ହୋଇ ତ୍ୟାଗ କରିଥିଲେ ଜଗନ୍ନାଥ ଦାସ l ପୁରୀର ସାତ ଲହଡ଼ି ମଠ ଠାରେ , ଶ୍ରୀମନ୍ଦିରର ନୀଳଚକ୍ର କୁ ଲକ୍ଷ୍ୟ କରି ଧ୍ୟାନ ମାଧ୍ୟମରେ ଇଚ୍ଛା ମୃତ୍ୟୁ ବରଣ କରିଥିଲେ ଜଗନ୍ନାଥ ଦାସ l ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପଦ୍ମ ପାଦରେ ଲୀନ ହୋଇ ଯାଇଥିଲା ଜଗନ୍ନାଥ ଦାସଙ୍କର ପବିତ୍ର ଆତ୍ମା l ଜଗନ୍ନାଥ ଦାସଙ୍କର ଦେହ ତ୍ୟାଗ ପରେ ଦ୍ଵାଦଶ ସ୍କନ୍ଦ କୁ ରଚନା କରିଥିଲେ କବି ମହାଦେବ ଦାଶ” ଏବଂ ଏହାକୁ ଜଗନ୍ନାଥ ଦାସ ନାମରେ ଭଣିତ କରିଥିଲେ l ଓଡ଼ିଆ ଭାଗବତର ଦ୍ଵାଦଶ ସ୍କନ୍ଦ ରେ ବର୍ଣ୍ଣିତ ଅଛି –
କୃଷ୍ଣ ସହିତେ ଜଗନ୍ନାଥ
ଚଳିଲେ ଗୋଲକ ଯେ ପଥ ।।
ନାମ ମୋହର ମହାଦେବ।
ବିପ୍ର କୂଳରେ ମୁଁ ସମ୍ଭବ ।।
ମୁଁ ଏହା କରଇ ବିଚାର ବିଚାର
ପୁରାଣ ଅଷ୍ଟାଦଶ ସାର।
ଦ୍ଵାଦଶ ଅଧ୍ୟା ତୟୋଦଶ ।
ଯେମନ୍ତ ହୋଇବ ପ୍ରକାଶ।।
(ଦ୍ଵାଦଶ ସ୍କନ୍ଦ – ଭାଗବତ )
ଏକାଦଶ ସ୍କନ୍ଦ ରେ ଶ୍ରୀକୃଷ୍ଣ ଙ୍କର ଭୂଲୋକ ତ୍ୟାଗ କରି ଗୋଲକ ଯାତ୍ରା କରିବା ଦୁଃଖରେ ଜଗନ୍ନାଥ ଦାସ ଙ୍କର ଦେହତ୍ୟାଗ କରିବା ବିଷୟ ଏଥିରେ ସ୍ପଷ୍ଟ ଭାବରେ ବର୍ଣ୍ଣିତ l ଓଡ଼ିଆ ଭାଗବତ ରେ ଯେଉଁ ତ୍ରୟୋଦଶ ସ୍କନ୍ଦ ମିଳେ ତାହାକୁ ରଚନା କରିଥିଲେ ଦ୍ୱାରକା ଦାସ l ତେବେ ମୂଳ ସଂସ୍କୃତ ଭାଗବତରେ ତ୍ରୟୋଦଶ ସ୍କନ୍ଦ ନାହିଁ l
ପୁର୍ବରୁ ବର୍ଣ୍ଣିତ ହୋଇଛି ଯେ ଜଗନ୍ନାଥ ଦାସଙ୍କର ଭକ୍ତିଭାବ ପୂର୍ଣ୍ଣ ବ୍ୟକ୍ତିତ୍ୱର ପରିଚୟ ପାଇ ଶ୍ରୀ ଚୈତନ୍ୟ ତାହାଙ୍କୁ ଅତିବଡ଼ି ଉପାଧୀରେ ଭୂଷିତ କରିଥିଲେ l ଶ୍ରୀ ଚୈତନ୍ୟ ଙ୍କ ଶ୍ରୀକ୍ଷେତ୍ର ରହଣୀ ସମୟରେ ଅତିବଡ଼ି ଜଗନ୍ନାଥ ଦାସ ତାହାଙ୍କର ନିତ୍ୟ ସଖା ରୁପରେ ରହି ଆସୁଥିଲେ l ଜଗନ୍ନାଥ ଦାସ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କର ଅତ୍ୟନ୍ତ ପ୍ରିତିଭାଜନ ଥିଲେ l ଏହି କାରଣ ଯୋଗୁଁ ଶ୍ରୀ ଚୈତନ୍ୟ ଙ୍କର ବଙ୍ଗୀୟ ଅନୁଗାମୀ ମାନେ ଜଗନ୍ନାଥ ଦାସଙ୍କ ପ୍ରତି ଈର୍ଷା ପରାୟଣ ହୋଇ ପଡ଼ିଥିଲେ l
ଫଳ ସ୍ୱରୂପ ସେମାନଙ୍କ ଭିତରୁ ଅନେକ ଶ୍ରୀକ୍ଷେତ୍ର ତ୍ୟାଗ କରି ବୃଦାବନରେ ନିତ୍ୟ ବାସ କରିଥିଲେ l ଶ୍ରୀ ଚୈତନ୍ୟ ଙ୍କର ସମସାମୟିକ କବି ମାଧବ ପଟ୍ଟନାୟକ ଏହି ଐତିହାସିକ ସତ୍ୟକୁ ତାଙ୍କ ରଚିତ ଗ୍ରନ୍ଥ “ବୈଷ୍ଣବ ଲୀଳା ମୃତ” ରେ ବର୍ଣ୍ଣନା କରିଛନ୍ତି l
ପ୍ରାଚୀନ କବି ଦିବାକର ଦାସ ଙ୍କ ରଚିତ “ଜଗନ୍ନାଥ ଚରିତା ମୃତ” ରେ ମଧ୍ଯ ଅନୁରୂପ ବର୍ଣ୍ଣନା ଦେଖିବାକୁ ମିଳେ l ସମ୍ଭବତଃ ଏହି ଈର୍ଷା ପରାୟଣ ଯୋଗୁଁ ଜଗନ୍ନାଥ ଦାସଙ୍କର ଭାଗବତ ଗୌଡିୟ ବୈଷ୍ଣବ ଜଗତରେ ଆଦୃତ ନୁହେଁ l ସ୍ଥଳ ବିଶେଷରେ ଜଗନ୍ନାଥ ଦାସଙ୍କ ଭାଗବତ ଭକ୍ତି ଶଙ୍କରାଚାର୍ଯ୍ୟ ଙ୍କ ମାୟାବାଦିତତ୍ୱ ,”ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା” ଭାବଧାରାକୁ ସମର୍ଥନ କରିଥିବାରୁ ଏହାକୁ “ମାୟାବାଦୀ ଦର୍ଶନ”ବୋଲି କହିବାକୁ ଗୌଡ଼ିୟ ବୈଷ୍ଣବ ଗଣ କ୍ଷାନ୍ତ ମଧ୍ଯ ହୋଇନାହାନ୍ତି l ତେବେ ଜଗନ୍ନାଥ ଦାସ ଙ୍କ ଭାଗବତ ସାଧାରଣ ଜନ ଜୀବନରେ ବେଶ୍ ପ୍ରଭାବଶାଳୀ l
ମୂଳ ସଂସ୍କୃତ ଭାଗବତ ଠାରୁ ଓଡ଼ିଆ ଭାଗବତର ଅନେକ ବିଶେଷତ୍ଵ ରହିଛି l ତାହା ନିମ୍ନ ମତେ ଆଲୋଚନା କରାଯାଇଛି l
(୧)– ମୂଳ ସଂସ୍କୃତ ଭାଗବତ ଶ୍ଲୋକ ସଂଖ୍ୟା ଅଠର ହଜାର କିନ୍ତୁ ଜଗନ୍ନାଥ ଦାସ କୃତ ଓଡ଼ିଆ ଭାଗବତର ଶ୍ଲୋକ ସଂଖ୍ୟା ଏକସ୍ତରୀ ହଜାର ସତସ୍ତରି l
୨)– ମୂଳ ସଂସ୍କୃତ ଭାଗବତ ର ଅଧ୍ୟାୟ ସଂଖ୍ୟା ଠାରୁ ଓଡ଼ିଆ ଭାଗବତର ଅଧ୍ୟାୟ ସଂଖ୍ୟା ଅଧିକ l
୩)– ସଂସ୍କୃତ ଭାଗବତ କଂସ ଙ୍କ ସପକ୍ଷରେ ବର୍ଣ୍ଣିତ ନରପତି ମାନଙ୍କ ନାମ ଏବଂ ତାଲିକା ଜଗନ୍ନାଥ ଦାସ ଅଧିକା ଦେଇଛନ୍ତି l
୪)– ମଥୁରାରେ ଶ୍ରୀକୃଷ୍ଣ ଙ୍କ ଫେରିବା ସମୟରେ ତାଙ୍କର ପ୍ରତ୍ୟାବର୍ତ୍ତନ ବାର୍ତ୍ତା ଆଗରୁ ଉଦ୍ଧବ ମାଧ୍ୟମରେ ଗୋପ ଗ୍ରାମରେ ଜଣାଇବା ଘଟଣା ମୂଳ ସଂସ୍କୃତ ଭାଗବତ ରେ ନାହିଁ l ତେବେ ଜଗନ୍ନାଥ ଦାସ ଏହି ଘଟଣା ନିଜ ମନରୁ ଦେଇଛନ୍ତି l
୫)– ଅକ୍ରୁର ଧନୁଯାତ୍ରା ନିମନ୍ତେ କୃଷ୍ଣଙ୍କୁ ଆଣିବାକୁ ଗଲାବେଳେ ଶ୍ରୀ କୃଷ୍ଣଙ୍କ ମାୟବଳ ରେ ସମସ୍ତ ଗୋପ ବାଳକ ଶ୍ରୀକୃଷ୍ଣ ଙ୍କ ସଦୃଶ ଅକ୍ରୁର ଙ୍କୁ ଦେଖାଗଲେ l ପୁନଶ୍ଚ ଶ୍ରୀ କୃଷ୍ଣ କୃପାବଶତଃ ଏହି ମାୟା ପଟ୍ଟଳ ଉନ୍ମୋଚନ କରନ୍ତେ ଅକ୍ରୁର ଶ୍ରୀ କୃଷ୍ଣଙ୍କୁ ଚିହ୍ନିପାରିଲେ l ଏହି ବିଷବସ୍ତୁ ମୂଳ ସଂସ୍କୃତ ଭାଗବତରେ ଅଛି , କିନ୍ତୁ ଓଡ଼ିଆ ଭାଗବତରେ ଏହା ନାହିଁ l ୬)– ଅନେକ ସମାଲୋଚକଙ୍କ ମତ ଅନୁସାରେ ଶ୍ରୀ ବ୍ୟାସଦେବ କୃତ ସଂସ୍କୃତ ଭାଗବତର ଟୀକା ଆଧାରରେ ଜଗନ୍ନାଥ ଦାସ ରଚନା କରିଥିଲେ ଓଡ଼ିଆ ଭାଗବତ l ତେଣୁ ଏହା ମୂଳ ସଂସ୍କୃତ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ ବରଂ ଭାବାନୁବାଦ l
ଅତିବଡ଼ି ଜଗନ୍ନାଥ ଦାସ କୃତ ଭାଗବତରେ ପ୍ରତିଧ୍ଵନିତ ହୋଇଛି ଏକ ନିର୍ମଳ , ନିଷ୍ପାପ , ଭକ୍ତିପୂର୍ଣ୍ଣ ହୃଦୟର ପ୍ରେମମୟ ଆତ୍ମ ନିବେଦନ ଈଶ୍ୱରଙ୍କର ଶ୍ରୀଚରଣ କମଳରେ l ଏକ ବିମଳ ପ୍ରେମପୂର୍ଣ୍ଣ ହୃଦୟରୁ ଏହି ଦିବ୍ୟ କାବ୍ୟ ସ୍ଵତଃ ପ୍ରବୃତ୍ତ ଭାବେ ଝରି ଆସିଛି l ସେଇଥିପାଇଁ ତ ଏହି ଦିବ୍ୟଗ୍ରନ୍ଥ ପବିତ୍ରତା , ସୌଦର୍ଯ୍ୟତା ,ଶାଳୀନତା , ପ୍ରେମମୟତା ,ଭକ୍ତିମଧୁମୟତାରେ ମୂଳ ସଂସ୍କୃତ ଭାଗବତର ସମକକ୍ଷ ଆସନ ପାଇବାକୁ ଯୋଗ୍ୟ l ଏହାର ରଚନା ଶୈଳୀ ଏତେ ଚମତ୍କାର ଯେ ଶ୍ରୋତା ର କର୍ଣ୍ଣରେ ଢାଳିଦିଏ ଅମୃତର ଧାରା l ଏହି ପବିତ୍ର ଭାଗବତ ନିରସ ମନରେ ସୃଷ୍ଟି କରେ ଭକ୍ତିର ଅମିୟ ରସ l
ଏହାରି ଆବୃତିରେ ହୃଦୟରେ ପ୍ରଭାହିତ ହୁଏ ବିଭୁ ପ୍ରେମର ପ୍ରୀତି ମନ୍ଦାକିନୀ l ଓଡ଼ିଆ ଜାତିର ଆତ୍ମ ପରିଚୟ ରହିଛି ଏହି ଭାଗବତରେ l ଯେତେଦିନ ଓଡ଼ିଆ ଜାତି ଏହି ଧରା ଭୂମିରେ ସଗର୍ବ ଆତ୍ମ ପରିଚୟ ବହନ କରିଥିବ ସେତେଦିନ ଯାଏ ସଞ୍ଜାବିତ ହୋଇ ରହିଥିବ ଅତିବଡ଼ି ଜଗନ୍ନାଥଙ୍କର ଏହି ମହାଗ୍ରନ୍ଥ ପବିତ୍ର ଓଡ଼ିଆ ଭାଗବତ l