ଦାର୍ଶନିକ ସୂକ୍ତ ମାନଙ୍କ ମଧ୍ୟରେ ପୁରୁଷ ସୂକ୍ତ ଅନ୍ୟତମ l ଏହି ସୂକ୍ତ ,ଋକ୍ ବେଦ ଯଜୁର୍ବେଦ, ଓ ସାମବେଦ ରେ ଦେଖା ଯାଇଥାଏ l ଏଥିରେ ସୃଷ୍ଟି କ୍ରମ ର ବର୍ଣ୍ଣନା ଦେଖିବାକୁ ମିଳେ l ଏଥିରେ ପୁରୁଷର ମହତ୍ତ୍ଵ ପ୍ରତିପାଦିତ ହୋଇଥାଏ l ଉକ୍ତ ଶ୍ଲୋକ ଟି ଶୁକ୍ଲ ଯଜୁର୍ବେଦ ଅନ୍ତର୍ଗତ ଏକତ୍ରିଂଶତ୍ ଅଧ୍ୟାୟରେ ପ୍ରାପ୍ତ ଅଟେ। ୠଷି ନାରାୟଣ , ପ୍ରଥମ ୧୫ ଗୋଟି ଶ୍ଲୋକ ଅନୁଷ୍ଟୁପ୍ ଓ ଶେଷ ସୂକ୍ତଟିକୁ ତ୍ରିଷ୍ଟୁପ୍ ଛନ୍ଦରେ ପୁରୁଷ ଙ୍କୁ ସ୍ତୁତି କରିଛନ୍ତି l
ମନ୍ତ୍ର :୧ —
ସହସ୍ରଶିର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍।
ସ ଭୂମିଂ ସର୍ବତଃ ସ୍ପୃତ୍ୱାତ୍ୟତିଷ୍ଠଦ୍ ଦଶାଙ୍ଗୁଳମ୍ ।। ୧।।
ଏଠାରେ ବିଜ୍ଞାନମୟ ପୁରୁଷର ସର୍ବବ୍ୟାପକତ୍ୱ ପ୍ରତିପାଦିତ ହୋଇଛି l ଅବ୍ୟକ୍ତ ମହାଦାଦି ବିଲକ୍ଷଣ ଚେତନ ସର୍ବପ୍ରାଣି ସମଷ୍ଟି ରୂପେ ବ୍ରାହ୍ମଣଦେହ ବିରାଟ୍ ଆଖ୍ୟା ପୁରୁଷ ଅଟେ l ପରମ ପୁରୁଷ ସହସ୍ର ଶିର ବିଶିଷ୍ଟ , ସହସ୍ର ଚକ୍ଷୁ ବିଶିଷ୍ଟ , ଏବଂ ସହସ୍ର ପାଦ ବିଶିଷ୍ଟ ଅଟନ୍ତି, ସେ ପୃଥିବୀକୁ ଚାରିଆଡୁ ବ୍ୟାପିକରି ଅଧିକ ଦଶାଙ୍ଗୁଳ ପରିମିତ ସ୍ଥାନରେ ଅବସ୍ଥାନ କରନ୍ତି l
ମନ୍ତ୍ର :୨–
ପୁରୁଷ ଏବେଦଂ ସର୍ବଂ ଯଦଭୂତଂ ଯଚ୍ଚ ଭାବ୍ୟମ୍ l
ଉତାମୃତତ୍ୱସ୍ୟେଶାନୋ ଯଦନ୍ନେନାତିରୋହତି ll୨ll
ପରମମୟ ଈଶ୍ୱର ହେଉଛନ୍ତି ପୁରୁଷ, ଯାହା ଅତୀତରେ ଉତ୍ପନ୍ନ ହୋଇଛି , ଯାହା ବର୍ତ୍ତମାନ ବିଦ୍ୟମାନ,ଯାହା ଭବିଷ୍ୟତ ରେ ସୃଷ୍ଟି ହେବ ତାହା ହେବ ତାହା ହେଉଛି ପରମ ପୁରୁଷ ଈଶ୍ୱର l ସେହି ପରମ ପୁରୁଷ ମୋକ୍ଷ ର ଅଧିଷ୍ଠାତା ଅଟନ୍ତି l ଯେଉଁମାନେ ଅନ୍ନଦ୍ଵାରା ବଢ଼ିଥାନ୍ତି ବା ଯାହାଙ୍କ ପାଇଁ ମନୁଷ୍ୟ ଅନ୍ନ ଗ୍ରହଣ କରି ନିଜର କାରଣ ଅବସ୍ଥାରୁ ଜଗତର କାର୍ଯ୍ୟ ଅବସ୍ଥାକୁ ନିତ୍ୟବଦ୍ଧନଶୀଳ ଭାବରେ ଆସୁଛନ୍ତି ,ସେ ହେଉଛନ୍ତି ପରମ ପୁରୁଷ l ସେହି ସର୍ବଶକ୍ତିମାନ୍ ବିଶ୍ଵବ୍ରହ୍ମାଣ୍ଡ ପରମ ପୁରୁଷ ନିଜ କର୍ମ ଅନୁସାରେ ଫଳ ଭୋଗୁଥିବା ପ୍ରାଣୀ ମାନଙ୍କୁ ସାଂସାରିକ ବନ୍ଧନରୁ ମୁକ୍ତ କରନ୍ତି । ଏଠାରେ କିପରି ସେହି ପରମପୁରୁଷ ସମଗ୍ର ଜଗତର ସ୍ୱାମୀ ସେ ବିଷୟରେ ବର୍ଣ୍ଣନା କରାଯାଇଛି l
ମନ୍ତ୍ର :୩—-
ଏତାବାନସ୍ୟ ମହିମାତୋ ଜ୍ୟାୟାଂଶ୍ଚ ପୁରୁଷଃ
ପାଦୋଽସ୍ୟ ବିଶ୍ୱା ଭୂତାନି ତ୍ରିପାଦସ୍ୟାମୃତଂ ଦିବି ll
ଏଠାରେ ପରମପୁରୁଷ ଙ୍କ ମହିମା ବର୍ଣ୍ଣନା କରାଯାଇଛି l ଏହି ପୁରୁଷ ଅତୀତ, ବର୍ତ୍ତମାନ, ଭବିଷ୍ୟତ ସଚରାଚର ପ୍ରାଣୀଜଗତର ନିଜସ୍ଵ ସାମର୍ଥ୍ୟ ମାତ୍ର ବାସ୍ତବ ସ୍ୱରୂପ ନୁହେଁ l